ହତ୍ୟା ଉଦ୍ୟମ ଘଟଣା: ୨ଭାଇଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ

6 days ago 7
ଭଦ୍ରକ: ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦେବଦତ୍ତ ପଟ୍ଟନାୟକ ମରଣାନ୍ତକ ଆକ୍ରମଣ କରି ହତ୍ୟା କରିବା ଉଦ୍ୟମ ମାମଲାର ବିଚାର କରି ଅଭିଯୁକ୍ତ ଗବସାହି ଗ୍ରାମର ହାଉସିଂବୋର୍ଡର ହରେକୃଷ୍ଣ ସେଠୀଙ୍କ ୨ ପୁଅ ସନ୍ତୋଷ ସେଠୀ ଓ ମାନସ ସେଠୀଙ୍କୁ ୩୦୭ ଦଫାରେ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ପୁଣି ୧ ବର୍ଷ କାରାଦଣ୍ଡ ଭୋଗିବା ପାଇଁ ମାନ୍ୟବର  କୋର୍ଟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି।
ଘଟଣାରୁ ପ୍ରକାଶ ଯେ ଭଦ୍ରକ ସହର ଗବସାହି ହାଉସିଂବୋର୍ଡରେ ରହୁଥିବା ଉମାକାନ୍ତ ପଣ୍ଡାଙ୍କ ସହ ଗତ ୨୦୧୪ ଡିସେମ୍ବର ୮ ତାରିଖରେ ସଂଧ୍ୟାରେ ତାଙ୍କର ପଡୋଶୀ ସନ୍ତୋଷ ଓ ମାନସ ସହ ବ୍ୟକ୍ତିଗତ କାରଣ ନେଇ ବଚସା ହୋଇଥିଲା। ସେହି କାରଣ ପାଇଁ ସେହି ଦିନ ରାତି ୧୧ଟା ବେଳେ ଉମାକାନ୍ତକୁ ଫୋନ ଯୋଗେ ସେ ୨ ଭାଇ  ଡକାଇ ଥିଲେ। ଉମାକାନ୍ତ ଫୋନ ପାଇ ସେମାନଙ୍କ ପାଖରେ ପହଁଚିବା ପରେ ସେ ୨ ଭାଇ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ମରିଗଲା ଭାବି ରାସ୍ତା କଡରେ ଫୋପାଡି ଦେଇ ପଳାଇଥିଲେ।
ପେଟ୍ରୋଲିଂ କରୁଥିବା ପୁଲିସ ଉମାକାନ୍ତ ରାସ୍ତା କଡରେ ପଡିଥିବା ଦେଖି ତାଙ୍କ ପତ୍ନୀ ସୁଶ୍ରୀ ସଂଗୀତା ପଣ୍ଡାଙ୍କୁ ଖବର ଦେବା ପରେ ସେ ଘଟଣାସ୍ଥଳରେ ପହଞ୍ଚି ନିଜର ସ୍ବାମୀଙ୍କୁ ତୁରନ୍ତ ଭଦ୍ରକ ମେଡିକାଲ ଓ ପରେ  କଟକସ୍ଥିତ ଅଶ୍ବିନୀ ହସପିଟାଲ ନେଇ ଚିକିତ୍ସା କରାଇଥିଲେ। ଉମାକାନ୍ତ ଦୀର୍ଘ ୨୦ ଦିନରୁ ଅଧିକ ଦିନ ସେଠାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲା। ଘଟଣାର ଦୁଇ ଦିନପରେ ସୁଶ୍ରୀ ସଂଗୀତାଙ୍କ ଏତଲାକ୍ରମେ ଅଜଣା ବ୍ୟକ୍ତିଙ୍କ ନାମରେ ସହରାଞ୍ଚଳ ପୁଲିସ ଏକ ମାମଲା ରୁଜୁ କରିଥିଲେ ବି ପରେ ଉମାକାନ୍ତର ବୟାନ ଭିତ୍ତିରେ ସନ୍ତୋଷ ଓ ମାନସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାଟି ଏସ୍.ଟି.ନଂ -୬୮/୨୦୦/୨୦୧୪ରେ ବିଚାର ଥାଇ ଏହି ରାୟ ପ୍ରକାଶ ପାଇଛି। ସରକାରଙ୍କ ତରଫରୁ ଭଦ୍ରକର ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଜତିକାନ୍ତ ନାୟକ ମାମଲା ପରିଚାଳନା କରୁଥିଲେ।

The post ହତ୍ୟା ଉଦ୍ୟମ ଘଟଣା: ୨ଭାଇଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ first appeared on Sambad.

Read Entire Article