ନିଆରା ପ୍ରେମର ନିଦର୍ଶନ; ପ୍ରମୋଦିନୀ-ସରୋଜଙ୍କ ବିବାହକୁ ମିଳିବ ସାମାଜିକ ସ୍ବୀକୃତି

6 days ago 24

ମହେଶ ଶର୍ମା

ଆଗାମୀ ମାର୍ଚ୍ଚ ପହିଲାରୁ ପ୍ରମୋଦିନୀ ରାଉଳ ଏବଂ ସରୋଜ ସାହୁ ବିବାହ ବନ୍ଧନରେ ବାନ୍ଧି ହେବେ। ଏହା ପରେ ସେମାନଙ୍କ ନିଆରା ପ୍ରେମ ଓ ବିବାହକୁ ମିଳିଯିବ ସାମାଜିକ ସ୍ବୀକୃତି। ଏକତରଫା ପ୍ରେମର କରୁଣ ପରିଣତି ଭୋଗିଥିବା ପ୍ରମୋଦିନୀଙ୍କ ଚେହେରା ଏସିଡ୍‌ ଆକ୍ରମଣରେ ଖରାପ ହୋଇଯାଇଥିଲା। ପ୍ରମୋଦିନୀଙ୍କ ପଡ଼ୋଶୀ ଜଣେ ଯୁବକ ପ୍ରେମ ନିବେଦନ କରି ବିଫଳ ହେବା ପରେ ତାଙ୍କ ମୁହଁରେ ଏସିଡ୍‌ ପକାଇ ଦେଇଥିଲେ। କଟକରେ ଚିକିତ୍ସା ସମୟରେ ପ୍ରମୋଦିନୀଙ୍କ ଦେଖାଶୁଣା କରୁଥିଲେ ସରୋଜ। ବିନା ସାହାରାରେ ପ୍ରମୋଦିନୀ ଦୁଇ ପାଦ ଚାଲିବା କଷ୍ଟକର ଥିଲା। ଏଭଳି ପରିସ୍ଥିତିରେ ସରୋଜ ତାଙ୍କ ଅନ୍ଧକାରମୟ ଜୀବନରେ ଆଲୋକ ଭରିଦେଇଥିଲେ। ଚିକିତ୍ସାଠାରୁ ଆରମ୍ଭ କରି ସମସ୍ତ ଦାୟିତ୍ଵ ତୁଲାଇଥିଲେ। ୪ମାସ ଭିତରେ ପ୍ରମୋଦିନୀ ସୁସ୍ଥ ହେବାକୁ ଲାଗିଥିଲେ। ଏହି ସମୟ ଭିତରେ ସରୋଜ ତାଙ୍କୁ ଭଲପାଇ ବସିଥିଲେ। ପ୍ରମୋଦିନୀଙ୍କ ହୃଦୟରେ ବି ସରୋଜଙ୍କ ପାଇଁ ଭଲପାଇବା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟେ ଉଭୟଙ୍କୁ ନିଜର ମନକଥା ଜଣାଇଥିଲେ, ଯାହା ମାର୍ଚ୍ଚ ୧ରେ ବିବାହର ରୂପ ନେବାକୁ ଯାଉଛି।

୨୦୧୮ରେ ପ୍ରମୋଦିନୀ ଏବଂ ସରୋଜଙ୍କ ମଧ୍ୟରେ ଲକ୍ଷ୍ନୌର ଶିରୋଜ କାଫେରେ ଏକ ସମାରୋହରେ ନିର୍ବନ୍ଧ ହୋଇଥିଲା। ଶିରୋଜ କାଫେରେ ପ୍ରମୋଦିନୀ କାମ ବି କରୁଥିଲେ। ଏହି ସମୟରେ ସରୋଜ ପ୍ରମୋଦିନୀଙ୍କ ସହିତ କୋର୍ଟରେ ବିବାହ କରିଥିଲେ। ଏହି ବିବାହକୁ ସାମାଜିକ ମାନ୍ୟତା ଦେବା ଲାଗି ସାମାଜିକ କର୍ମୀ ଶୁଭଶ୍ରୀ ଦାସଙ୍କ ଉଦ୍ୟମରେ ବୈବାହିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଚି। ମାର୍ଚ୍ଚ ୧ରେ କଟକରେ ବିବାହ ସମ୍ପନ୍ନ ହେବ ଏବଂ ଏହା ପରଦିନ ଭୁବନେଶ୍ଵରରେ ବିବାହ ଭୋଜି ଅନୁଷ୍ଠିତ ହେବ। ଶୁଭଶ୍ରୀଙ୍କ କହିବା ଅନୁସାରେ ଏହି ବିବାହରେ ଭୁବନେଶ୍ଵରରେ ରହୁଥିବା ସେଲିବ୍ରିଟିମାନେ ପ୍ରମୋଦିନୀ ଏବଂ ସରୋଜଙ୍କୁ ଆଶୀର୍ବାଦ ଦେବାକୁ ଉତ୍ସବରେ ସାମିଲ ହେବେ। ଉଭୟଙ୍କ ବିବାହ ପାଇଁ ନିମନ୍ତ୍ରଣ ପତ୍ର ମଧ୍ୟ ବଣ୍ଟନ କରାଯାଉଛି। ଉଭୟଙ୍କ ବିବାହ ଆୟୋଜନ ଏ​‌ବେ ଚର୍ଚ୍ଚାରେ ଥିବାବେଳେ ସରୋଜଙ୍କ ସାହସିକ ପଦକ୍ଷେପକୁ ଭୂରି ଭୂରି ପ୍ରଶଂସା କରାଯାଉଛି।

ଏହି ବିବାହରେ ଦୁଇ ପକ୍ଷର ପରିବାର ଲୋକେ ଉପସ୍ଥିତ ରହିବେ। ପ୍ରମୋଦିନୀ ଯେତେବେଳେ ଛୋଟ ଥିଲେ ସେବେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିଲା। କୁହାଯାଉଛି ଯେ, ଏସିଡ୍‌ ଆକ୍ରମଣ ପୀଡ଼ିତା ହୋଇଥିବାରୁ ତାଙ୍କୁ ପରିବାରରୁ ଯେତିକି ସମର୍ଥନ ମିଳିବା ଦରକାର ତାହା ମିଳି ନାହିଁ। ଏପରି ସ୍ଥିତିରେ ସରୋଜ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି।

ସୂଚନାଯୋଗ୍ୟ, ୨୦୦୯ରେ ଜଗତସିଂହପୁର ଜିଲାରେ ପ୍ରମୋଦିନୀ ଓରଫ ରାନୀଙ୍କ ଉପରେ ତାଙ୍କ ପଡ଼ୋଶୀ ଜଣେ ଯୁବକ ଏସିଡ୍‌ ଫିଙ୍ଗି ଦେଇଥିଲେ। ଏକତରଫା ପ୍ରେମରେ ଯୁବକ ଜଣକ ବିଫଳ ହେବା ପରେ ଏଭଳି କାଣ୍ଡ ଘଟାଇଥିଲେ। ସେତେବେଳେ ପ୍ରମୋଦିନୀ ଯୁକ୍ତ ୨ରେ ପଢ଼ୁଥିଲେ। ଏହି ଘଟଣା ପରେ ପ୍ରମୋଦିନୀ ଅନେକ ଦିନ ଧରି କଟକ ମେଡିକାଲରେ କୋମାରେ ରହିଥିଲେ। ନ୍ୟାୟ ପାଇଁ ଅନେକ ଦିନ ଧରି ଲଢ଼େଇ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ସେ ଏବେ ଜେଲରେ ଅଛି।

ଏକ ରିପୋର୍ଟ ଅନୁସାରେ, ଓଡ଼ିଶାରେ ୨୦୧୧ରୁ ୨୦୧୯ ପର୍ଯ୍ୟନ୍ତ ୭୦ଟି ଏସିଡ୍‌ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଏସିଡ୍‌ ପୀଡ଼ିତାଙ୍କ ଉପରେ ପ୍ରସ୍ତୁତ ଫିଲ୍ମ ଛପାକ୍‌ ଏହି ପୀଡ଼ିତାମାନଙ୍କୁ ସହାୟତା ଏବଂ ପୁନଃଥଇଥାନ ଉପରେ ଗୁରୁତ୍ଵ ଦେଇଥିଲା। ଅନେକ ସଂଗଠନ ଏ ଦିଗରେ କାର୍ଯ୍ୟ କରୁଛନ୍ତି। ପ୍ରମୋଦିନୀଙ୍କ ସମେତ ଅନ୍ୟ ଏସିଡ୍‌ ପୀଡ଼ିତାମାନଙ୍କୁ ସହାୟତା ଏବଂ ପୁନଃଥଇଥାନ ଦିଗରେ କାର୍ଯ୍ୟ କରୁଥିବା ଇନ୍‌ଷ୍ଟିଚ୍ୟୁଟ୍‌ ଫର ସୋସିଆଲ ଡେଭେଲପମେଣ୍ଟ ଆଣ୍ଡ ଟିମ୍‌ର ନିର୍ଦେଶକ ଶୁଭଶ୍ରୀ ଦାସ କୁହନ୍ତି, ଯଦି ସରକାର ସାମାନ୍ୟ ସହାୟତା କରନ୍ତି, ତେବେ ଏସିଡ୍‌ ପୀଡ଼ିତାମାନଙ୍କୁ ଆତ୍ମନିର୍ଭର କରାଯାଇ ପାରିବ। ଶିରୋଜ ନାମକ ସଂସ୍ଥା ଯେତେବେଳେ ଦିଲ୍ଲୀରେ ଏଭଳି କାମ କରୁଛି, ତେବେ ଓଡ଼ିଶାରେ କାହିଁକି ହୋଇପାରିବ ନାହିଁ ? ଏଭଳି ବହୁତ ସମ୍ବେଦନଶୀଳ ଲୋକ ଅଛନ୍ତି, ଯେଉଁମାନେ ସହାୟତା କରିବାକୁ ଚାହୁଁଛନ୍ତି। ଓଡ଼ିଶା ଭଳି ରାଜ୍ୟରେ ଏସିଡ୍‌ ପୀଡ଼ିତାମାନଙ୍କୁ ସହାୟତା ଏବଂ ପୁନଃଥଇଥାନ ଦିଗରେ ଅଧିକ ଦୃଷ୍ଟି ଦିଆଯାଇ ନାହିଁ। ତେବେ ଶୁଭ୍ରଶ୍ରୀଙ୍କ ଭଳି ସାମାଜିକ କର୍ମୀମାନେ ଏହି ଦିଗରେ ପ୍ରୟାସ ଚଳାଇଛନ୍ତି, କିନ୍ତୁ ଉଚିତ ସହଯୋଗ ନ ମିଳିବାରୁ ସେମାନଙ୍କ ଆଗ୍ରହ କମିଯାଉଛି।

ଓଡ଼ିଶା ପାଇଁ ନୂଆ ପ୍ରୋଜେକ୍ଟ ପ୍ରସ୍ତୁତ

ଶୁଭଶ୍ରୀ ଦାସ ଭୁବନେଶ୍ଵରରେ ଶିରୋଜ କାଫେ ଖୋଲିବା ପାଇଁ ଏକ ​ପ୍ରୋଜେକ୍ଟ ପ୍ରସ୍ତୁତ କରିଛନ୍ତି। ଶୁଭଶ୍ରୀଙ୍କ ନିକଟରେ ୫୯ ଏସିଡ୍‌ ଆକ୍ରମଣ ଘଟଣାର ରିପୋର୍ଟ ରହିଛି। ସେ ପ୍ରୋଜେକ୍ଟ ରିପୋର୍ଟର ନକଲ ନାଲ୍‌କୋ, ସଲମାନ୍‌ ଖାନ୍‌ଙ୍କ ଫାଉଣ୍ଡେଶନକୁ ପଠାଇଛନ୍ତି, ଯାହାଫଳରେ ସେମାନଙ୍କ ସହାୟତାରେ ଶିରୋଜ କାଫେ ଖୋଲି ଏସିଡ୍‌ ପୀଡ଼ିତାଙ୍କ ଦ୍ବାରା ପରିଚାଳନା କରାଇ ଆତ୍ମନିର୍ଭର କରାଯିବାର ସୁଯୋଗ ସୃଷ୍ଟି କରାଯାଇପାରିବ। ଏହି କାଫେ ଏସିଡ୍‌ ଆକ୍ରମଣ ପୀଡ଼ିତାମାନେ ଚଳାଇଥାନ୍ତି। ଉତ୍ତରପ୍ରଦେଶର ଆଗ୍ରା, ଲକ୍ଷ୍ନୌରେ ଏଭଳି କାଫେ ସଞ୍ଚାଳିତ କରାଯାଉଛି। ଏହାଦ୍ବାରା ଅନେକ ପୀଡ଼ିତାଙ୍କ ଜୀବନରେ ପରିବର୍ତ୍ତନ ଆସିଛି। ସେମାନଙ୍କୁ ବଞ୍ଚିବାର ସାହାରା ମିଳିଛି।

ଏକ ରିପୋର୍ଟ ଅନୁସାରେ, ଏସିଡ୍‌ ଆକ୍ରମଣ ଭଳି ହିଂସାର ମୂଳୋତ୍ପାଟନ (ଇରାଡିକେଶନ ଅଫ ଏସିଡ୍‌ ଭାଓଲେନ୍ସ) ସମ୍ପର୍କରେ ଆଲୋଚନା ସମୟରେ ଏଏସଡବ୍ଲ୍ୟୁ ଡବ୍ଲ୍ୟୁ ଏଫ (ଏସିଡ୍‌ ସର୍ଭାଇଭର୍ସ ଆଣ୍ଡ ୱମେନ ୱେଲଫେୟାର ଫାଉଣ୍ଡେଶନ) ଚକ୍କିତ କଲା ଭଳି ତଥ୍ୟ ପ୍ରଦାନ କରିଛି। ଏହି ସଂସ୍ଥାର ଓଡ଼ିଶା ଚାପ୍ଟର ପ୍ରମୁଖ ଥିବା ଟି.ଏନ. ପଣ୍ଡା କୁହନ୍ତି, ତାଙ୍କ ସଂସ୍ଥା ୭୦ ଏସିଡ୍‌ ପୀଡ଼ିତାଙ୍କ ମଧ୍ୟରୁ ୧୦ ଜଣଙ୍କୁ ପୂର୍ଣ୍ଣ ସହଯୋଗ କରିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ, ୪୪ ପ୍ରତିଶତ ଏସିଡ୍‌ ପୀଡ଼ିତା କେବଳ ଉତ୍ତର ଭାରତର ଏବଂ ୨୭ ପ୍ରତିଶତ ପୂର୍ବ ଭାରତର। ଓଡ଼ିଶା ପୂର୍ବ ଭାରତର ଏକ ରାଜ୍ୟ। ଶୁଭଶ୍ରୀ କୁହନ୍ତି ଯେ, ପୁନର୍ବାସ ଥଇଥାନ କେନ୍ଦ୍ର ପ୍ରତି ରାଜ୍ୟରେ ଖୋଲିବାର ଆବଶ୍ୟକତା ରହିଛି। ଓଡ଼ିଶା ରାଜ୍ୟ ଦିବ୍ୟାଙ୍ଗ ଆୟୋଗ ପ୍ରମୁଖ ସୁଲୋଚନା ଦାସ କୁହନ୍ତି ଯେ, ଏସିଡ୍‌ ପୀଡ଼ିତାଙ୍କ ପାଇଁ ଦିବ୍ୟାଙ୍ଗତା ଆଇନରେ ବି ବ୍ୟବସ୍ଥା ରହିଛି। ବିଭାଗ ସେମାନଙ୍କୁ ପ୍ରାଥମିକା ଦେଇଥାଏ। ଏସିଡ୍‌ ପୀଡ଼ିତାଙ୍କୁ ସହାୟତା ଏବଂ ଥଇଥାନ ପାଇଁ ସମସ୍ତ ପ୍ରକାର ସହଯୋଗ ଲାଗି ତତ୍ପର ଅଛୁ।

୨୦୧୪ରୁ ୨୦୧୮ ମଧ୍ୟରେ ୭୦୦ରୁ ଅଧିକ ଏସିଡ୍‌ ଆକ୍ରମଣ

ମହିଳା ସମ୍ମାନକୁ ନେଇ କରାଯାଉଥିବା ବଡ଼ ବଡ଼ ଦାବି ମଧ୍ୟରେ ଦେଶରେ ୨୦୧୪ରୁ ୨୦୧୮ ମଧ୍ୟରେ ୭୦୦ରୁ ଅଧିକ ଏସିଡ୍‌ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ସେଥିରୁ ଉତ୍ତର ପ୍ରଦେଶରେ ୨୬୦, ପଶ୍ଚିମବଙ୍ଗରେ ୨୪୮, ଦିଲ୍ଲୀରେ ୧୧୪, ମଧ୍ୟପ୍ରଦେଶରେ ୫୯, ଓଡ଼ିଶରେ ୫୨, ପଞ୍ଜାବରେ ୫୦, ଆନ୍ଧ୍ରପ୍ରଦେଶରେ ୪୭, ହରିୟାଣାରେ ୪୬, ବିହାରରେ ୩୯ ଏବଂ ଗୁଜରାଟରେ ୩୭ ମାମଲା ରହିଛି। ଏହି ତଥ୍ୟ ସରକାର ସୂତ୍ରରୁ ଜଣାପଡ଼ିଛି। କିନ୍ତୁ ବାସ୍ତବ ସଂଖ୍ୟାଠାରୁ ଏହା ବହୁତ କମ୍‌ ବୋଲି କୁହାଯାଉଛି।

କ’ଣ ରହିଛି ଆଇନ

ଏସିଡ୍‌ ଆକ୍ରମଣ ମାମଲାରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିନାହାନ୍ତି। ଆଇନ ଅନୁସାରେ ଏସିଡ୍‌ ଆକ୍ରମଣ କରୁଥିବା ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲଦଣ୍ଡ ଅଥବା ଆଜୀବନ ଜେଲ୍‌ଦଣ୍ଡାଦେଶ ହୋଇପାରେ। ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ଅନୁସାରେ କେବଳ ପଞ୍ଜୀକୃତ ଦୋକାନରେ ହିଁ ଏସିଡ୍‌ ଉପଲବ୍ଧ ହୋଇପାରିବ। ମାତ୍ର ଏହାର ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଉଛି। ଅନ୍ୟାନ୍ୟ ଦୋକାନରେ ବି ଏସିଡ୍‌ ବିକ୍ରି ହେଉଛି। ଅଧିକାଂଶ ମାମଲାରେ ଅଭିଯୁକ୍ତ ପୀଡ଼ିତା ଏବଂ ତାଙ୍କ ପରିବାରକୁ ଧମକଚମକ ଦେଉଥିବାରୁ ଘଟଣା ଥାନା ପର୍ଯ୍ୟନ୍ତ ପହଞ୍ଚିପାରୁ ନାହିଁ।

Read Entire Article